ISSN (Print) - 0012-9976 | ISSN (Online) - 2349-8846

ବଜେଟରେ ଥିବା ଆଦର୍ଶ ଓ ବିଚାର

.

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

୨୦୧୯ରେ ଉପସ୍ଥାପିତ ହୋଇଥିବା ଜାତୀୟ ବଜେଟ ଉପରେ ଦେଶର ଅନେକ ଆଗଧାଡ଼ିର ଅର୍ଥନୀତିଜ୍ଞ ଏବଂ ବ୍ୟାଖ୍ୟାକାରମାନେ ବିଭିନ୍ନ ଦୃଷ୍ଟିରୁ ଗଭୀର ବିଶ୍ଳେଷଣ ତଥା ସମୀକ୍ଷା କରିଛନ୍ତି । ବଜେଟର କାର୍ଯ୍ୟକାରି ଦିଗଟି ଏତେ ସ୍ପଷ୍ଟ ଯେ ତାକୁ ଅଣଦେଖା କରାଯାଇ ପାରିବ ନାହିଁ । ପରସ୍ପର ବିରୋଧୀ ସ୍ୱାର୍ଥଗୁଡ଼ିକୁ ସ୍ଥାନିତ କରିବା ପାଇଁ ଏଥିରେ ଚିରାଚରିତ ଢାଞ୍ଚାରେ ପ୍ରୟାସଟିଏ ହୋଇଛି, ଯଦିଓ ସେ ଭିତରେ ଅନେକ ଅନ୍ତଦ୍ୱନ୍ଦ୍ୱର୍ ଥିବାକଥା ଜଣାପଡ଼ୁଛି । ଗରିବଙ୍କୁ ସୁହାଇବା ଭଳି ସଂସ୍କାରଗୁଡ଼ିକୁ ଏହି ବଜେଟରେ ଗୁରୁତ୍ୱ ଦିଆଯାଇଛି ବୋଲି କେନ୍ଦ୍ରସରକାର ଗୋଟିଏ ଦାବୀ କରୁଥିବା ବେଳେ, ତାକୁ କାର୍ଯ୍ୟକାରୀ କରିବା ସ୍ତରରେ ବଜେଟର ପାଣ୍ଠି ଯେଉଁଭଳି ବ୍ୟବସ୍ଥା କରାଯାଇଛି ଜଣାପଡ଼ୁଛି ଯେ, ଅନୁସୂଚିତ ଜାତି, ଜନଜାତି ଭଳି କିଛି ସାମାଜିକ ବର୍ଗ ଓ ମଧ୍ୟବିତ୍ତ ଶ୍ରେଣୀକୁ ସନ୍ତୁଷ୍ଟ କରିବା ପାଇଁ ବନ୍ଦୋବସ୍ଥଟିଏ କରାଯାଇଛି । ଏଥିରେ ଏକଥା ମଧ୍ୟ ସ୍ୱୀକାର କରାଯାଇଛି ଯେ, ଦରିଦ୍ରମାନଙ୍କର ବର୍ଗଟି ରାଜନୈତିକ ଦୃଷ୍ଟିକୋଣରୁ ଏକ ଫଳପ୍ରଦ ବର୍ଗ ନୁହେଁ ଏବଂ ସେଥିପାଇଁ ନିର୍ଦ୍ଦିଷ୍ଟ ପଦକ୍ଷେପ ମାଧ୍ୟମରେ ସେମାନଙ୍କ ପାଇଁ କରାଯାଇଥିବା ବ୍ୟବସ୍ଥାଗୁଡ଼ିକୁ ନିରୂପିତ କରାଯାଉଛି । ଅନ୍ୟପଟେ ଅତି ଧନିମାନଙ୍କ ଉପରେ ବଜେଟରେ ବର୍ଦ୍ଧିତ ଟିକସ ଲାଗୁ କରାଯାଇଛି, ଯେମିତିକି ଯେଉଁମାନେ ୨କୋଟି ଟଙ୍କାରୁ ଅଧିକା ରୋଜଗାର କରୁଛନ୍ତି ସେମାନେ ଅର୍ଥନୀତିର ଅଭିବୃଦ୍ଧି ପାଇଁ ସହଯୋଗ କରିବେ, କିନ୍ତୁ ଏଠି ସମ୍ବଳ ବିନିଯୋଗ ପାଇଁ କର୍ପୋରେଟ କ୍ଷେତ୍ରକୁ ସନ୍ତୁଷ୍ଟ କରିବା ନିମନ୍ତେ ପଦକ୍ଷେପ ନେବା ବାକି ରହିଯାଇଛି ।

ବଜେଟରେ ଯେଉଁଭଳି ସଂଶୟପୂର୍ଣ୍ଣ ବିବିଧ ପ୍ରସ୍ତାବ ଓ ଯୋଜନା ସବୁ ରଖାଯାଇଛି ସଂସଦରେ ଶାସକଦଳର ସଂଖ୍ୟାଗରିଷ୍ଠତା ଯୋଗୁଁ ଏଭଳି କରାଯାଇଛି ବୋଲି ଅନେକ ଭାବନ୍ତି । ଏହି ଦଳମାନେ ରାଜନୈତିକ ଏବଂ ସାମାଜିକ ସ୍ତରରୁ ଆସୁଥିବା ଦାବୀଗୁଡ଼ିକୁ ପ୍ରଶ୍ରୟ ଦେଇ ସେଥିପାଇଁ ଅଧିକ ଖର୍ଚ୍ଚ କରିବା ପାଇଁ ଏକପ୍ରକାର ଦୁର୍ବଳ ସ୍ଥିତିରେ ରହିଛନ୍ତି । ସେଇଥିପାଇଁ ହିଁ ବଜେଟରେ ଯେଉଁ କାମ କରାଯାଇଛି ତାହା ଏମିତିରେ ସାମାଜିକ ପ୍ରଗତିଶୀଳ ଚରିତ୍ର ବହନ କରୁଛି । କିନ୍ତୁ ଏ କଥା ବୁଝାଉ ନାହିଁ ଯେ ପୂର୍ଣ୍ଣ ବହୁମତ ଥିବା ଦଳଗୁଡ଼ିକ ଗୋଟିଏ ପ୍ରଗତିଶୀଳ ବଜେଟ ଉପସ୍ଥାପନ କରିବେ ଯାହାଫଳରେ ପ୍ରତିଯୋଗିତାମୂଳକ ସୁଯୋଗ ଉପଲବଧର କ୍ଷେତ୍ରଟି ବର୍ଦ୍ଧିତ ହୋଇପାରିବ । ଏଭଳି ଏକ ବାଧ୍ୟବାଧକତାକୁ ବୁଝିହେବ ଯଦି ଗୋଟିଏ ଦଳର ନିଜର ନିର୍ବାଚନୀ ସମର୍ଥନ ଭିତ୍ତିଟିକୁ ସଦାସର୍ବଦା ସୁଦୃଢ଼ ରଖିବାର ଉତ୍କଣ୍ଠାଟିକୁ ଆମେ ହିସାବକୁ ନିଅନ୍ତି । ଠିକ୍ ସେତିକିବେଳେ ଏମିତି କରିବାକୁ ପଡ଼େ ଯେମିତିକି କର୍ପୋରେଟ କ୍ଷେତ୍ର ତଥା ରାଜନୈତିକ ସ୍ଥିରତାର ନାୟକମାନଙ୍କୁ ମଧ୍ୟ ପ୍ରତିଶ୍ରୁତି ମିଳିବ ଯାହାକି ପୁଞ୍ଜି ଠୁଳ କରିବା ପାଇଁ ଏବଂ ପୁଞ୍ଜି ନିବେଶ ପାଇଁ ଆକର୍ଷଣ କରିପାରୁଥିବ । ଏକ ଉଦାର ଆଦର୍ଶର ଏହା ହେଉଛି ବ୍ୟବହାରିକ ବିଚାର ଯେଉଁ ଆଦର୍ଶ ସମ୍ଭାବନାରେ ଭରି ରହିଥିବା ସୁଯୋଗଗୁଡ଼ିକ ପାଇଁ ଅନେକ ପ୍ରତିଯୋଗିତା ମୂଳକ କ୍ଷେତ୍ରଗୁଡ଼ିକ ଅଧିକ ବ୍ୟାପକ ଭାବେ ଉପଲବ୍ଧ କରିବା ସ୍ଥିତି ଉପରେ ନିର୍ଭର କରିଥାଏ । ଏଭଳି ପ୍ରତିଯୋଗିତାରେ ସ୍ତର ସ୍ତର ହୋଇ ସମାନତା ସୃଷ୍ଟି ହୋଇଥାଏ, କିନ୍ତୁ ସମୟକ୍ରମେ ଗୋଷ୍ଠୀ ଗୋଷ୍ଠୀ ଭିତରେ ଏବଂ ଗୋଟିଏ ଗୋଷ୍ଠୀର ନିଜ ଭିତରେ ମଧ୍ୟ ବିଷମତା ସୃଷ୍ଟି ହୋଇଥାଏ । ପ୍ରତିଯୋଗିତାର କ୍ଷେତ୍ର ଏବଂ ଏହାର ସାମାଜିକ ଭିତ୍ତିଟିକୁ ସମ୍ପ୍ରସାରଣ କରିବା ପାଇଁ ଅବସ୍ଥା ସୃଷ୍ଟି କରି ସେହି ବିଷମତାର ନିୟନ୍ତ୍ରଣ କରିବା ଜରୁରୀ । ଗୋଟିଏ ଖରାପ ଅବସ୍ଥାରେ ଥିବା ଲୋକମାନଙ୍କୁ ଭଲ ବା ଉନ୍ମୁକ୍ତ ଅବସ୍ଥାକୁ ଯିବାପାଇଁ ସମ୍ଭାବନାରେ ଭରପୁର ସୁଯୋଗଗୁଡ଼ିକର କ୍ଷେତ୍ରଟିକୁ ପ୍ରତିଯୋଗିତାମୂଳକ କରାଇବା କଥାଟି ସରକାରଙ୍କର ଏକ ଭଲ ଇଚ୍ଛାଶକ୍ତି ଉପରେ ନିର୍ଭର କରିଥାଏ । ଭାରତର ଅର୍ଥନୀତି ଏଭଳି କ୍ଷେତ୍ର ପ୍ରସ୍ତୁତ କରିବାରେ ଏଯାଏଁ ସକ୍ଷମ ହୋଇନାହିଁ ଏବଂ ଏ କଥାର ପ୍ରମାଣ ଆମକୁ ମିଳେ ଯେତେବେଳେ ଆମେ ଅଣଆନୁଷ୍ଠାନିକ କ୍ଷେତ୍ରଟିକୁ ଦେଖୁ ଯେଉଁଠି ସମଗ୍ର ନିଯୁକ୍ତିର ଶତକଡ଼ା ୯୩%ଭାଗ ଦେଖିବାକୁ ମିଳିଥାଏ । ପୁଣି ପ୍ରତିଯୋଗିତା ମୂଳକ କ୍ଷେତ୍ର ସୃଷ୍ଟି କରିବା ପାଇଁ ସରକାର ଏବଂ ବଜାରର ଅକ୍ଷମତା ଯୋଗୁଁ ଚାକିରି ଖୋଜୁଥିବା ଲୋକମାନଙ୍କର କେତୋଟି ମାତ୍ର ପ୍ରତିଯୋଗିତାମୂଳକ କ୍ଷେତ୍ରରେ ନିଜର ଆଙ୍କାକ୍ଷାର ଚାପ ଦେଖିବାକୁ ମିଳିଥାଏ ଯଥା – ପ୍ରଶାସନିକ ସେବା କ୍ଷେତ୍ର, ବୃତ୍ତିଗତ ଅଧ୍ୟୟନ କ୍ଷେତ୍ର ଏବଂ ନିଯୁକ୍ତିର ଯେଉଁ କିଛି ନିମିତ୍ତ ସୁଯୋଗ ସରକାରୀ କ୍ଷେତ୍ରରେ ରହିଛି । ସ୍ପଷ୍ଟଭାବେ କହିହେବ ଯେ, ଏହି କ୍ଷେତ୍ରଗୁଡ଼ିକ ଦଖଲ କରିବା ପାଇଁ କେବଳ କିଛି ଲୋକ ହିଁ ସୁଯୋଗ ପାଇବେ । ସଂରକ୍ଷଣ କୋଟା ପାଇଁ ବଢ଼ିଚାଲିଥିବା ଦାବୀ ସେଥିପାଇଁ ପ୍ରତିଯୋଗିତାର ଆଦର୍ଶକୁ ନେଇ ଯେଉଁ ବିଷମ ସ୍ୱଭାବ ରହିଛି ତାକୁ ଅଧିକ ସୁଦୃଢ଼ କରୁଛି ।

ନିଃସନ୍ଦେହ, ବଜାର ଯେଉଁ ଯୁକ୍ତି ଦେଇ କାର୍ଯ୍ୟ କରେ ତାହା ହିଁ ଲୋକମାନଙ୍କର ଜୀବନର ବିଭିନ୍ନ ସ୍ତରରେ ବିଷମତା ସୃଷ୍ଟି କରିଥାଏ । କିନ୍ତୁ, ଗୋଟିଏ ବଳିଷ୍ଠ ସରକାର ନିଜେ ଚାହିଁଲେ ବିଷମତାଗୁଡ଼ିକୁ ଦୂର କରିପାରିବ ନାହିଁ ଯଦି ଆମେ ବିଷମତାକୁ ନେଇ ଥିବା ସ୍ଥିତି ଓ ପ୍ରକ୍ରିୟାଗୁଡ଼ିକର ଢାଞ୍ଚାଟିକୁ ବିଚାରକୁ ନିଅନ୍ତି । ପ୍ରକୃତପକ୍ଷେ, ଯେଉଁସବୁ ବିଷମତା ନିଜେ ସୃଷ୍ଟି କରି ନଥାନ୍ତି ବରଂ ବଜାର ତାଙ୍କୁ ଦେଇଥାଏ ତାକୁ ହିଁ ଦୂର କରିବା ପାଇଁ ଏମାନେ ପ୍ରୟାସ କରିଥାନ୍ତି । ଏଠି ପ୍ରଶ୍ନ ଆସେ ଯେ, ବଜାର ସୃଷ୍ଟି କରୁଥିବା ବିଷମତାକୁ ଏମାନେ କେମିତି ଦୂର କରିବେ? ଅବଶ୍ୟ ଗୋଟିଏ କଥା ହେଉଛି ଯେ, ସଂରକ୍ଷଣର କୋଟାଗୁଡ଼ିକୁ ବଢ଼ାଇଦେଇ ।

ଅନ୍ୟ ପଦକ୍ଷେପ ଭିତରେ ରହିଛି ଫସଲ ହାନୀ ହେଉଥିବା ଚାଷୀମାନଙ୍କ କ୍ଷେତ୍ରରେ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଶସ୍ୟ ବୀମା ଯୋଜନା ନିର୍ଦ୍ଧାରଣ କରିବା, ଯାହା ସେମାନଙ୍କୁ କିଛିଟା ରିହାତି ଯୋଗାଇଦେବ । ଏହି କଥାଟି ସର୍ବଶେଷରେ ଦେଖିଲେ ଘରୋଇ ବୀମା କମ୍ପାନୀମାନଙ୍କୁ ହିଁ ଲାଭ ପହଞ୍ଚାଇବ । ଏଭଳି ବୀମା ଚାଷୀମାନଙ୍କ ସେବାରେ ଆସିଛି ଏକଥାଟି ପ୍ରାୟତଃ ଜଣାପଡ଼ୁନାହିଁ । ବିଷମତାର ବିକଳ୍ପ, ରିହାତି ନୁହେଁ; ଏହି ପଦକ୍ଷେପଗୁଡ଼ିକ ପ୍ରକୃତରେ ଦୁଃସ୍ଥ ଅବସ୍ଥାରେ ଥିବା ଲୋକମାନଙ୍କୁ କିଛି ସମୟ ପାଇଁ ସକ୍ଷମ ହେବାପାଇଁ କିଛି କାମ କରିଥାଏ ।

ଗୋଟିଏ ବଜାର ଦ୍ୱାରା ଉପୁଜିଥିବା ମୂଳ ବିଷମତାଗୁଡ଼ିକର ପ୍ରଶ୍ନକୁ ସମାଧାନ କରିବା ପାଇଁ ଯେଉଁ ସରକାର ବାଧ୍ୟ ହୋଇଥାନ୍ତି ସେମାନେ ଢାଞ୍ଚାଗତ ଅସୁବିଧାଗୁଡ଼ିକୁ ଦୂର କରିବା ପରିବର୍ତ୍ତେ ତାହାର ପରିଣାମଗୁଡ଼ିକର କ୍ଷତିପୂରଣ ପାଇଁ ପ୍ରୟାସ କରିଥାନ୍ତି । ଗୋଟିଏ ପୀଡ଼ିତ ଲୋକ ବା କ୍ଷତିପୂରଣ ଖୋଜୁଥିବା ଲୋକଙ୍କର ମୂଲ୍ୟକୁ ସମୀକ୍ଷା କରିବା ପାଇଁ ସରକାର କ୍ଷତିପୂରଣକୁ ଗୋଟିଏ ମାନ ହିସାବରେ ନେଇଯାଆନ୍ତି । ସରକାର ଯେଉଁସବୁ କାରଣଗୁଡ଼ିକ ଯୋଗୁଁ ଲୋକେ କ୍ଷତିପୂରଣ ଦାବୀ କରିବା ପାଇଁ ବାଧ୍ୟ ହୋଇଛନ୍ତି, ସେ ସବୁର ମୂଳୋତ୍ପାଟନ ପାଇଁ ପଦକ୍ଷେପ ନେବା ଉଚିତ । ଉଦାହରଣ ସ୍ୱରୂପ କୃଷକମାନଙ୍କର ଦୁଃସ୍ଥ ଅବସ୍ଥାକୁ ଦୂରେଇବା ପାଇଁ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ଏବଂ ନିଷ୍ଠାପର ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଯେଉଁସବୁ ଅବସ୍ଥାଗୁଡ଼ିକ ଲାଗି ଲୋକେ କ୍ଷତିପୂରଣ ଦାବୀ କରିଥାନ୍ତି, ସେ ସବୁ ଦୂର କରିବା କ୍ଷେତ୍ରରେ ସରକାରଙ୍କର ବିଫଳତାର ଏକ ତାର୍କିକ ପରିଣାମ ହେଉଛି କ୍ଷତିପୂରଣ ।

ଅନ୍ୟ ସବୁ କଥା ସହିତ କ୍ଷତିପୂରଣକୁ ନେଇ ଯେଉଁ ଉଦାରବାଦୀ ବିଚାର କରାଯାଉଛି ବଜେଟରେ ତାହାର ବ୍ୟବହାର କରାଯାଇଛି । ଅଧିକ ସୁବିଧାସୁଯୋଗ ପାଇଁ ପ୍ରତିଯୋଗିତା ମୂଳକ କ୍ଷେତ୍ର ପ୍ରସ୍ତୁତ କରିବା ଓ ଆକର୍ଷଣ କରିବା ପାଇଁ ଯେଉଁ ଉଦାର ଆଦର୍ଶକୁ ରୂପରେଖ ଦେବା କଥା ତାକୁ ଯେମିତି ସରକାର ସ୍ଥଗିତ ରଖିଛନ୍ତି । 

Back to Top