ISSN (Print) - 0012-9976 | ISSN (Online) - 2349-8846

ଭୋଟ୍ ସରିଗଲେ ଷଣ୍ଢ ପସେ!

ବଜାରଗୁଡ଼ିକ ପାଇଁ କେବଳ ସ୍ଥିରତା ନୁହେଁ, କ୍ଷମତା ବି ସେମାନଙ୍କୁ ଭଲଲାଗେ

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ବଜାରଗୁଡ଼ିକ ପାଇଁ କେବଳ ସ୍ଥିରତା ନୁହେଁ, କ୍ଷମତା ବି ସେମାନଙ୍କୁ ଭଲଲାଗେ

ଏକଜିଟପୋଲ ବା ନିର୍ବାଚନର ପରିଣାମକୁ ନେଇ ଆଗୁଆ ଅନୁମାନ ପ୍ରକାଶ ପାଇବାର ଦିନଟେ ପରଠାରୁ ଅର୍ଥାତ୍, ମେ ୨୦ତାରିଖରୁ କ୍ରମାଗତ ଭାବେ ସେନ୍ସେକ୍ସ (ଫଟକା ବଜାରର ସଙ୍କେତ)ରେ ଯେଉଁ ସ୍ୱପ୍ନର ଦୌଡ଼ ଆରମ୍ଭ ହୋଇଥିଲା ତାହା ଏ ଭିତରେ ସମ୍ମାନଜନକ ୪୦,୦୦୦ଅଙ୍କ ଅତିକ୍ରମ କରିଗଲା । ପ୍ରତିକୂଳ ବିଶ୍ୱ ଅର୍ଥନୀତି ଏବଂ ବାଣିଜ୍ୟକୁ ନେଇ ହୋଇଥିବା ପୂର୍ବାନୁମାନ ସତ୍ୱେ ଏହି ବୃଦ୍ଧିଟି ନିଶ୍ଚିତ ଭାବେ ଉଲ୍ଲେଖନୀୟ ଦେଖାଯିବ । କିନ୍ତୁ ଯେତେବେଳେ ଭାରତର ରିଜର୍ଭ ବ୍ୟାଙ୍କ ଜୁନ୍ ୬ତାରିଖ ଦିନ ରାଷ୍ଟ୍ରାୟତ ବ୍ୟାଙ୍କମାନଙ୍କୁ ଟଙ୍କା ଦେବା କ୍ଷେତ୍ରରେ ନିଜର ରେଟ୍ ଟିକୁ ହ୍ରାସ କରିଦେଲେ, ତା’ପରେ ସେହି ସେନ୍ସେକ୍ସ ୪୦୦ଅଙ୍କ ତଳକୁ ଖସିଗଲା ।

ଏଭଳି ଏକ ହ୍ରାସ ସତ୍ୱେ ଏହି ଅଦ୍ଭୁତପୂର୍ବ ବୃଦ୍ଧି ସୂଚାଇଦେଉଛି ଯେ, ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ ବା ସଂଯୁକ୍ତ ପ୍ରଗତିଶୀଳ ସାମ୍ମୁଖ୍ୟ-୨ ସରକାରମାନଙ୍କ ଦ୍ୱାରା ଯେତେସବୁ ଗୁରୁତ୍ୱପୂର୍ଣ୍ଣ ନୀତି ଘୋଷଣା କରାଯାଇଥିଲା ତାହାର ପ୍ରଭାବ ଏକଜିଟପୋଲ ଗୁଡ଼ିକ ଉପରେ ସେତିକି ପଡ଼ି ନଥିଲା । କାହିଁକି? ଦୁଇଟି କାରଣ ଯୋଗୁଁ ଫଟକା ବଜାରର ଚଳାଚଳ ହୋଇଥାଏ : ଯେଉଁ ନିଗମମାନଙ୍କର କାରବାରକୁ ନେଇ ବେପାର ହୁଏ ସେମାନଙ୍କର ମୌଳିକ ସ୍ଥିତି ଦୀର୍ଘଦିନ ଧରି ଭଲ ରହିବା ଦରକାର ଏବଂ ଦ୍ୱିତୀୟଟି ହେଲା ଏହି ବଜାର ବ୍ୟବସ୍ଥା ଆଡ଼କୁ ଅଚାନକ ଆସୁଥିବା ଝଟକା । ବର୍ତ୍ତମାନର ଚାଲିଥିବା ବଜାରର ଚଳାଚଳକୁ ଅର୍ଥପୂର୍ଣ୍ଣ ଭାବେ ଦେଖିବାକୁ ହେଲେ ଅର୍ଥନୀତିଜ୍ଞ କେନସ୍ ଯାହା ନିର୍ଦ୍ଧାରଣ କରିଛନ୍ତି ତାକୁ ପରଖିବା ଦରକାର । କେଉଁ ଅଭିବୃଦ୍ଧିଟି ଅନୁମାନଭିତ୍ତିକ (କମ୍ ସମୟ ପାଇଁ ଲାଭଦାୟକ) ଏବଂ କେଉଁ ଅଭିବୃଦ୍ଧିଟି ସମ୍ପୃକ୍ତ ଉଦ୍ୟୋଗର ଦୀର୍ଘକାଳିନ ମୌଳିକ ସ୍ଥିତି ଉପରେ ନିର୍ଭରଶୀଳ । ଯଦି ପ୍ରଥମଟିକୁ ଆମେ ଅଧିକ ଗୁରୁତ୍ୱ ଦେଉ ତାହାହେଲେ ବଜାରରେ ଅନୁମାନ ବାହାରର ପରିବର୍ତ୍ତନ ଦେଖାଦେବ ଏବଂ ଯାହା ଜରୁରୀ ତାହାର ହସ୍ତକ୍ଷେପ ଆବଶ୍ୟକ କରିବ । ଯେତେବେଳେ କି ଦ୍ୱିତୀୟଟିକୁ ଗୁରୁତ୍ୱ ଦିଆଯିବ, ବର୍ତ୍ତମାନର ମୂଲ୍ୟବୃଦ୍ଧି ଜନିତ ଲାଭଟି ଅଧିକ ଦେଖାଗଲେ ବି ତାହା ଅର୍ଥନୀତିର ଭବିଷ୍ୟତକୁ ନେଇ ଭଲ ଆଶା କରାଯାଉଥିବା ସ୍ଥିତି ଉପରେ ଆଧାରିତ ହେଉଥିବ । ଏହା ମଧ୍ୟ କଷ୍ଟକର ଯେ ଆମେ କେମିତି ଧାନରୁ ଚଷୁକୁ ଅଲଗା ଅଲଗା କରି ଦେଖିବା, କାହିଁକି ନା ଯାହା ଆଜି ଚଷୁ କୁହାଯାଉଛି (ଏକ ଗତିଶୀଳ ବଜାରରେ ଉଚ୍ଚ ମୂଲ୍ୟ ପାଇବାର ଅନୁପାତଟିକୁ ଦେଖି କୁହାଯାଇପାରେ) ତାହା ହୁଏତ ସେଇଆ ହୋଇ ନଥିବା କାହିଁକି ନା ତାହା ଆଶା କରାଯାଉଥିବା ଆୟ ଉପରେ ଆଧାରିତ ନଥିବ । ବାସ୍ତବରେ ତାହା ହିଁ ସତ୍ୟ ପ୍ରମାଣିତ ହୋଇପାରେ । ଏଭଳି ଭାବାବେଗର ଗତ କିଛିସପ୍ତାହ ଭିତରେ ବଢ଼ିବାର କାରଣଟି କ’ଣ ଥିଲା?

ପ୍ରଥମେ, ଦିନକ ଭିତରେ ବଜାରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହେବାର ଗୋଟିଏ ମୁଖ୍ୟ ସ୍ୱଳ୍ପକାଳୀନ କାରଣଟି ହେଉଛି ଯେ, ପ୍ରାୟ ସମସ୍ତ ଏକ୍ଜିଟ୍ ପୋଲ ସଂସ୍ଥାମାନଙ୍କ ଦ୍ୱାରା ନରେନ୍ଦ୍ର ମୋଦୀ ସରକାର ପୂର୍ଣ୍ଣ ବହୁମତ ପାଇ ପୁଣିଥରେ ସରକାର ଗଠନ କରିବାର ପୂର୍ବାନୁମାନ । ଦ୍ୱିତୀୟଟି ହେଉଛି, ପ୍ରଥମଟି ସହିତ ସମ୍ପର୍କିତ-ପୁଞ୍ଜିନିବେଶକାରୀ ମାନଙ୍କ ମନରେ ଗୋଟିଏ ସଂଖ୍ୟାଗରିଷ୍ଠ ସରକାରଙ୍କ ଦ୍ୱାରା ରାଜନୀତିକ ସ୍ଥିରତା ପ୍ରଦାନ କରିବାର ସମ୍ଭାବନା । କାରଣ ସେମାନେ ଭାବିଥାନ୍ତି ଯେ, ଏକ ସ୍ଥିର ସରକାର ଦ୍ୱାରା ବ୍ୟବସାୟର ବାତାବରଣ କିଭଳି ରହିବ ଅନୁମାନ କରିହେବ । କିନ୍ତୁ ଏଭଳି ଏକ ଆଶା ଯଥେଷ୍ଟ ନୁହେଁ ବିଶେଷକରି ଯେତେବେଳେ କି ସରକାରଟି ନିଜର ପ୍ରଥମ ପାଳିରେ ଅର୍ଥନୀତି କ୍ଷେତ୍ରରେ କୌଣସି ଆଖିଦୃଷ୍ଟିଆ ପରିବର୍ତ୍ତନ ଆଣିଥିବାର ଉଦାହରଣ ନାହିଁ । ପୁଣିଥରେ ଗୋଟିଏ ଅଯୋଗ୍ୟ ସରକାର କ୍ଷମତାକୁ ଆସିବା ପୁଞ୍ଜି ବିନିଯୋଗକାରୀମାନଙ୍କ ପାଇଁ ଏକ ଭଲ ଲକ୍ଷଣ ନୁହେଁ । ତା’ହେଲେ ସେମାନେ ଏପରି କାହିଁକି କଲେ? ଏଥିପାଇଁ କି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭିତରେ ଜଣେ ‘ବଳିଷ୍ଠ’ ନେତାଙ୍କୁ ଦେଖିପାରିବା ଯିଏକି ଲୋକମାନଙ୍କର ସମ୍ପୂର୍ଣ୍ଣ ଆସ୍ଥାଭାଜନ ହୋଇପାରିଛନ୍ତି । ସୁତରାଂ, ସେ ଯେକୌଣସି ନିର୍ଣ୍ଣାୟକ ଭୂମିକା ନେଇପାରିବେ ବିଶେଷକରି ରାଜନୈତିକ ଦୃଷ୍ଟିକୋଣରୁ କଷ୍ଟକର ଲାଗୁଥିବା ବଜାରକୁ ସୁହାଇଲା ଭଳି ସଂସ୍କାର କାର୍ଯ୍ୟକ୍ରମ : ବଜାର ସେଥିପାଇଁ ଯଥେଷ୍ଟ ଆଶାବାଦୀ । ମୋଦୀଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ସେ ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକରୁ ପୁଞ୍ଜି ପ୍ରତ୍ୟାହାର ଏବଂ ଶ୍ରମ ବଜାରର ସଂସ୍କାର ପାଇଁ ବଡ଼ ପଦକ୍ଷେପ ନେବେ ବୋଲି ବଡ଼ ବଡ଼ କମ୍ପାନୀମାନଙ୍କର ଆଶା । ଏଭଳି ଆଶା ରଖିବା ଦ୍ୱାରା ବଜାରର ସେହିଭଳି କୌଣସି କ୍ଷତି ହେବନାହିଁ ଯଦି ଆମେ ମୋଦୀଙ୍କର ଅତ୍ୟନ୍ତ ଜନବିରୋଧୀ ବିମୁଦ୍ର୍ରାୟନର ନିଷ୍ପତ୍ତିଗୁଡ଼ିକୁ ହିସାବକୁ ନେବା ।

ତୃତୀୟରେ ଭାରତର ଅର୍ଥନୀତିର ତତ୍କାଳିକ ଭଲ ପରିଣତିକୁ ନେଇ ଯେଉଁ ପୂର୍ବାନୁମାନ ହୋଇଛି ଯାହାକି ଅନ୍ତଃରାଷ୍ଟ୍ରୀୟ ମୁଦ୍ରାପାଣ୍ଠି ଦ୍ୱାରା କରାଯାଇଥିବା ଆକଳନ ଉପରେ ଆଂଶିକ ଭାବେ ଆଧାରିତ ଯେଉଁଠି କୁହାଯାଇଛି ଯେ ବିଶ୍ୱର ଅର୍ଥନୀତିମାନଙ୍କ ଭିତରେ ଭାରତର ଅର୍ଥନୀତି ଦ୍ରୁତତମ ଗତିରେ ବଢ଼ୁଛି । ଏହା ଆଶ୍ଚର୍ଯ୍ୟଜନକ ଏଇଥିପାଇଁ ଯେ ଗତ ତିନିମାସରେ ଆମ ଅର୍ଥନୀତି ସେମିତି କିଛି ଭଲ କରିନାହିଁ ହୁଏତ ଆମର ପୁଞ୍ଜି ବିନିଯୋଗକାରୀମାନେ ଗୋଟେ ଏତେ ଭଲ ନଥିବା ଅତୀତ ଓ ଅନିର୍ଦ୍ଦିଷ୍ଟ ଭବିଷ୍ୟତ ଉପରେ ବାଜି ଲଗାଉଛନ୍ତି । ଏଭଳି ଉତ୍ସାହ ପଛରେ ଥିବା କାରଣଗୁଡ଼ିକ ଭିତରୁ ଗୋଟିଏ ହେଉଛି ଯେ, ତୈଳ ଦରର ହ୍ରାସ ଘଟିବା ଯୋଗୁଁ ନିକଟ ଭବିଷ୍ୟତରେ ଏକ ଅନ୍ତର୍ଭୁକ୍ତ ମୁଦ୍ରା ନୀତି ପ୍ରଣୟନର ଆଶା । ସାଧାରଣ ପରିସ୍ଥିତିରେ ଗୋଟିଏ ନିମ୍ନ ସ୍ତରରେ ଥିବା ବଣ୍ଡ୍ଟି ଷ୍ଟକ୍ କିଣିବା କ୍ଷେତ୍ରରେ ଅଧିକ ଲୋଭଜନକ ଜଣାପଡ଼େ । ଏମିତି ବି ଗୋଟେ ଅନୁମାନ ଥିଲା ଯେ ସୁଧ ହାର ହ୍ରାସ ହେଲେ ନୂଆ କରି କମ୍ପାନୀ ଆରମ୍ଭ କରିହେବ ଏବଂ ପୁଞ୍ଜି ବିନିଯୋଗ ପାଇଁ ପରିବାର ଗୁଡ଼ିକ ଆଗେଇ ଆସିବେ ଯାହାଫଳରେ ଅର୍ଥନୀତିର ଅଭିବୃଦ୍ଧି ଘଟିବ । ସୁଧ ହାର ହ୍ରାସ କଲାବେଳେ ନିମ୍ନ ଗତିରେ ଚାଲିଥିବା ଅର୍ଥନୀତିର ଅଭିବୃଦ୍ଧି ହାରକୁ ସଂଶୋଧିତ କରାଯାଇଛି, ଯଦିଓ ଅଣବ୍ୟାଂଙ୍କି ସଂସ୍ଥାମାନଙ୍କ ଦ୍ୱାରା ନଗଦ ଟଙ୍କାର ଯେଉଁ ସଙ୍କଟ ଚାଲିଛି ତାହାରି ଉପରେ ଏଭଳି ସ୍ଥିତି କୌଣସି ଚାପ ସୃଷ୍ଟି କରୁନାହିଁ ।

ପ୍ରକୃତରେ ବର୍ତ୍ତମାନ ସୁଦ୍ଧା ୨୦୧୯ରେ ବିଦେଶୀ ପୋର୍ଟଫୋଲିଓ ପୁଞ୍ଜି ନିବେଶ ଯୋଗୁଁ ଏକ ବିରାଟ ଧରଣର ଅର୍ଥ ପ୍ରବେଶ କରିଛି । ଏଭଳି ଅର୍ଥ ଆସିବାର କାରଣ ହେଉଛି ଯେ ଯେଉଁଠାରୁ ଅର୍ଥ ଆସୁଛି ସେଠି କୌଣସି କାରଣରୁ ଚାପ ସୃଷ୍ଟିହେଇଛି । ଆମରି କ୍ଷେତ୍ରରେ ଏହାର ଏଭଳି କାରଣ ହେଇପାରେ ଯେ ଚାଇନା ଓ ଆମେରିକା ଭିତରେ ବାଣିଜ୍ୟ ଯୁଦ୍ଧ ଚାଲିଛି, ଯୁକ୍ତରାଷ୍ଟ୍ର ଆମେରିକାର ଦୁଃସ୍ଥ ଅର୍ଥନୀତି ସୁଧାରିବାର ନାଁ ଧରୁନାହିଁ ଏବଂ ଆମେରିକାର ମୁଦ୍ରା ନୀତିକୁ ସରଳ କରିବାର ଆଶଙ୍କା ଯାହାକି ଆମେରିକାରେ ବଣ୍ଡଗୁଡ଼ିକରୁ ଅଧିକ ଅମଳ କରିବାର ଆଶା କମି କମି ଯାଉଛି । ଯଦି ଆଦାନପ୍ରଦାନର ହାରକୁ ନେଇ ଥିବା ବିପଦଟି ଆପଣାଛାଏଁ ନ ବଢ଼େ ତେବେ ଏଭଳି ଏକ ସ୍ଥିତି ମନମୁଖୀ ନିଷ୍ପତ୍ତି ନେବାର ସମ୍ଭାବନା ସୃଷ୍ଟି କରିଥାଏ । ଯଦି ଆମେ ଦେଖିବା କେଉଁସବୁ କାରଣଗୁଡ଼ିକ ପୁଞ୍ଜିକୁ ଟାଣିଆଣୁଛି ତାହା ଆମ ଘରୋଇ ପୁଞ୍ଜି ନିବେଶକାରୀଙ୍କ କ୍ଷେତ୍ରରେ ଯେଉଁ କାରଣ ଦେଖାଯାଏ ତାହା ଠାରୁ ଭିନ୍ନ ନୁହେଁ ।

ଷଣ୍ଢ ଗୁଡ଼ିକ କଥାଟିକୁ ଠିକରେ ପାଇଛନ୍ତି କି ନାହିଁ ଆମେ ଜାଣିନୁ, କିନ୍ତୁ ଗୋଟିଏ କଥା ସ୍ପଷ୍ଟ : କମ୍ ସମୟ ପାଇଁ ଫଟକା ବଜାର ହଡ଼ବଡ଼ ହେବା ଯୋଗୁଁ ଯେଉଁଭଳି ସ୍ଥିତି ଆମେ ଏକ୍ଜିଟ୍ ପୋଲ ପରେ ଦେଖିବାକୁ ପାଇଲେ ତାହା ଧାନ ନୁହେଁ ବରଂ ଚଷୁ ଭଳି କଥା । କିନ୍ତୁ ସେହି କଥାଟିକୁ ଛାଡ଼ିଦେଇ ଫଟକା ବଜାରର ମାତ୍ରାଧିକ ମୂଲ୍ୟାୟନକୁ ଯଦି ଗ୍ରହଣ କରାଯାଏ ତା’ହେଲେ ବିଶ୍ୱରେ ଚାଲିଥିବା ଅସ୍ଥିର ବଜାର ପରିବେଶ ଭିତରେ ଆମ ଅର୍ଥନୀତି ପାଇଁ ଏହା ଅଧିକ ଦୁଃସ୍ଥିତି ଆଣିପାରେ । ମାତ୍ରାଧିକ ମୂଲ୍ୟାୟନ ସହ ଜଡ଼ିତ ବିପଦଗୁଡ଼ିକୁ କମେଇବା ପାଇଁ ଅର୍ଥନୀତିଜ୍ଞ କେଏନ୍ସଙ୍କର ଦାୟାଦମାନେ ଅଧିକାଂଶ ସମୟରେ ଏକ କ୍ଷୁଦ୍ରକାଳୀନ ପୁଞ୍ଜିର ଲାଭ ଉପରେ ଟିକସ ଲାଗୁ କରିବା କଥା ନେଇ ଯୁକ୍ତି ରଖନ୍ତି । ଠିକ୍ ସେତିକିବେଳେ, ଫଟକା ବଜାରକୁ ହତୋତ୍ସାହିତ କରିବା ପାଇଁ ନୀତି ନିର୍ଦ୍ଧାରଣ ନ କରାଯାଉ ଯେହେତୁ ସେମାନେ ବିଭାଜିତ ନ ହୋଇପାରୁଥିବା ପୁଞ୍ଜିକୁ ଭାଗ ଭାଗ କରି ପୁଞ୍ଜି ନିବେଶ ପାଇଁ ପ୍ରୋତ୍ସାହିତ କରିଥାନ୍ତି ଯଦ୍ୱାରା କି ପୁଞ୍ଜି ନିବେଶ ସହିତ ଜଡ଼ିତ ବିପଦର ହାର କମିଯାଇଥାଏ । ଆଦର୍ଶଗତ ଭାବେ ସରକାର ସୁଧ ହାରରେ ପରିବର୍ତ୍ତନ ଆଣି କମ୍ପାନୀମାନଙ୍କୁ ବା ପରିବାର ଭିତ୍ତିକ ପୁଞ୍ଜି ନିବେଶକୁ ପରୋକ୍ଷ ଭାବେ ପ୍ରଭାବିତ କରିବା ପରିବର୍ତ୍ତେ ଅର୍ଥନୀତିର ପୁଲି ଟିକୁ ସକ୍ରିୟ ମୁଦ୍ରାନୀତି ମାଧ୍ୟମରେ ନିଜ ହାତରେ ରଖିବା ଦରକାର । ଦୁର୍ଭାଗ୍ୟର କଥା ଯେ ଅତି ଶୋଚନୀୟ ଆର୍ଥିକ ଅବସ୍ଥାରେ ମଧ୍ୟ ବର୍ତ୍ତମାନର ସରକାର ଅର୍ଥନୈତିକ ଦାୟିତ୍ୱବୋଧ ଓ ବଜେଟ ପରିଚାଳନା ନୀୟମ ଦ୍ୱାରା ବନ୍ଧା ଯାହାଫଳରେ ନୀତିନିର୍ଦ୍ଧାରଣ କ୍ଷେତ୍ରଟି ଅଧିକ ସଙ୍କୁଚିତ ହୋଇଯାଉଛି ଏବଂ ଫଟକା ବଜାରର ଚଳାଚଳ ଅବା କମ୍ପାନୀମାନଙ୍କର ନିଷ୍ପତ୍ତିଗୁଡ଼ିକ ପାଖରେ ଆମ ଅର୍ଥନୀତି ଶରଣ ପଶୁଛି । ଏଭଳି ଏକ ସ୍ଥିତି ଆମ ଅର୍ଥନୀତିର ଭାଗ୍ୟ ଉଦୟରେ ସାଥି ଦେବାର ସମ୍ଭାବନା କମ୍ ।

 

Back to Top