ତୃତୀୟଲିଙ୍ଗ ବିଲ୍ର ବିଫଳତା କେଉଁଠି
ତୃତୀୟଲିଙ୍ଗ ସଂପ୍ରଦାୟର ଅଧିକାରର ସୁରକ୍ଷା ପାଇଁ ସ୍ୱକୃତିମୂଳକ କାର୍ଯ୍ୟାନୁଷ୍ଠାନ ତୁରନ୍ତ ଆବଶ୍ୟକ
The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.
ନିକଟରେ ଜାତୀୟ ମାନବ ଅଧିକାର କମିଶନ (ଏନ.ଏଚ.ଆର.ସି) ପ୍ରଥମ ଥର ପାଇଁ ଜାତୀୟ ସ୍ତରରେ ଦେଶର ତୃତୀୟଲିଙ୍ଗ ସଂପ୍ରଦାୟଙ୍କ ଉପରେ ଏକ ସର୍ଭେ କରିଥିଲେ । ଏଥିରେ ଦେଖାଗଲା ଯେ ଏହି ସଂପ୍ରଦାୟର ୯୨% ଲୋକ ଅର୍ଥନୈତିକ ପ୍ରକ୍ରିୟା ବାହାରେ ରହିଛନ୍ତି । ଏହା ଅତ୍ୟାନ୍ତ ହାସ୍ୟାସ୍ପଦ ଯେ ଆମେ ନିଜକୁ ଆଧୁନିକ ଦୁନିଆର ବାସୀନ୍ଦା ବୋଲି ଭାବୁଛେ ଏବଂ ଏବେ ବି ଜନସମୁଦାୟର ଏକ ବଡ ସଂପ୍ରଦାୟ ବ୍ୟବସ୍ଥିତ ଭାବେ ସମାଜଚ୍ୟୁତ ହୋଇ ରହିଛନ୍ତି ଓ ବଞ୍ଚବାର ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି । କୌଣସି ନିଯୁକ୍ତିର ସୁଯୋଗର ବାହାରେ ରହୁଥିବାରୁ ଅନେକ ସମୟରେ ସେମାନେ ଭିକ୍ଷା କିମ୍ବା ଯୌନ ବୃତ୍ତି ଆପଣାଇବା ପାଇଁ ବାଧ୍ୟ ହେଉଛନ୍ତି । ତୃତୀୟଲିଙ୍ଗ ସଂପ୍ରଦାୟ ସମ୍ମୁଖୀନ ହେଉଥିବା ମୁଖ୍ୟ ସମସ୍ୟା ହେଉଛି ସେମାନଙ୍କର ଯୌନ ନାଗରିକତାକୁ ଆଗ୍ରହ୍ୟ କରାଯିବା । ଏନ.ଏଚ.ଆର.ସି.ର ତଥ୍ୟ ଅନୁଯାଇ ଭାରତର ତୃତୀୟଲିଙ୍ଗ ସଂପ୍ରଦାୟର ୯୯% ସାମାଜିକ ପ୍ରତ୍ୟାଖାନର ସମ୍ମୁଖୀନ ହେଉଛନ୍ତି । ତୃତୀୟଲିଙ୍ଗର ବ୍ୟକ୍ତିମାନେ ସାମୂହିକ ସ୍ଥାନରେ ବସବାସ କରିପାରନ୍ତି ନାହିଁ ଏବଂ ବିସମଲିଙ୍ଗୀମାନଙ୍କ ଭଳି ଅନ୍ୟମାନଙ୍କ ଠାରୁ ସମାନ ସମ୍ମାନ ପାଇପାରନ୍ତି ନାହିଁ ଓ ସେମାନଙ୍କର ଶରୀର ଗଠନ ପାଇଁ ନିନ୍ଦିତ ହୋଇଥାନ୍ତି । କଣଠେସା ହୋଇ ରହିଥିବା ସଂପ୍ରଦାୟମାନଙ୍କ ମଧ୍ୟରେ ତୃତୀୟଲିଙ୍ଗ ସଂପ୍ରଦାୟର ଏକ ବିଶେଷ ସ୍ଥାନ ରହିଛି, ଯାହା ଫଳରେ ସେମାନେ ଯୌନ ହିଂସା ଓ ଚିକିତ୍ସାଗତ ଅବହେଳା ଦୃଷ୍ଟିରୁ ଅଧିକ ଅସୁରକ୍ଷିତ ହୋଇଥାନ୍ତି । ଅଧିକାଂଶ କ୍ଷେତ୍ରରେ ସେମାନେ ପରିବାରରୁ ବିତାଡିତ ହୋଇଥାନ୍ତି, ଯାହାକି ସେମାମଙ୍କୁ ସର୍ବନିମ୍ନ ସାମାଜିକ ଅଧିକାରରୁ ବଞ୍ଚିତ କରିଥାଏ । ଏନ.ଏଚ.ଆର.ସି.ର ସର୍ଭେ ଅନୁଯାଇ ଭାରତର କେବଳ ୨% ତୃତୀୟଲିଙ୍ଗର ବ୍ୟକ୍ତି ସେମାନଙ୍କର ପରିବାର ସହ ରହୁଛନ୍ତି ।
ତୃତୀୟଲିଙ୍ଗର ବ୍ୟକ୍ତି (ଅଧିକାର ସୁରକ୍ଷା) ବିଲ୍, ୨୦୧୪ ହୋଉଛି ଏହାର ପ୍ରତିକାର କରିବା ପାଇଁ ଏକ ଚେଷ୍ଟା ଏବଂ ଏହା ତୃତୀୟଲିଙ୍ଗ ସଂପ୍ରଦାୟକୁ କେତେକ ସୁଯୋଗ ପ୍ରଦାନ କରିଛି । ଅଗଷ୍ଟ ମାସରେ ଏହି ବିଲ୍ ଉପରେ ସଂସଦରେ ବିତର୍କ ହୋଇଛି ଏବଂ ବିଭିନ୍ନ ସଂଶୋଧନ ହୋଇଛି । କିନ୍ତୁ ବର୍ତ୍ତମାନ ବିଲ୍ଟି ଯେପରି ରହିଛି, ସେଥିରେ ୨୦୧୭ ମସିହାରେ ଏହି ବିଧିବ୍ୟବସ୍ଥାର ସମୀକ୍ଷା ପାଇଁ ଗଠିତ ଷ୍ଟାଣ୍ଡିଙ୍ଗ୍ କମିଟିର ଦୁଇଟି ମୁଖ୍ୟ ପ୍ରସ୍ତାବକୁ ନେବାରେ ଅବହେଳା କରାଯାଇଛି । ପ୍ରଥମଟି ହେଉଛି ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ତୃତୀୟଲିଙ୍ଗ ପାଇଁ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା । ଏଭଳି ସ୍ୱକୃତିମୂଳକ ପଦକ୍ଷେପ ଦ୍ୱାରା ସେମାନଙ୍କୁ ଅର୍ଥନୈତିକ ପ୍ରକ୍ରିୟା ମଧ୍ୟରେ ସାମିଲ କରାଯାଇ ପାରିବ ।
ଦ୍ୱିତୀୟ ପ୍ରସ୍ତାବରେ ତୃତୀୟଲିଙ୍ଗର ବ୍ୟକ୍ତିମାନଙ୍କର ବିବାହ ଓ ଜୀବନସାଥୀ ବାଛିବାର ଅଧିକାରକୁ ଆଇନଗତ ମାନ୍ୟତା ଦେବା ପାଇଁ ଯୁକ୍ତି କରାଯାଇଛି, ଯାହାକି କେବଳ ଦୁଇଟି ଲିଙ୍ଗକୁ ବ୍ୟାପକ ଭାବେ ମାନ୍ୟତା ଦେଉଥିବା ଏକ ଦେଶରେ କଷ୍ଟକର । କେବଳ ଦୁଇଟି ଲିଙ୍ଗ ରହିଥିବାର ୠଢୀବାଦୀ ବିଚାର ଉପରେ ଭିତ୍ତି କରି ଭାରତୀୟମାନେ ସେମାନଙ୍କର ସାମାଜିକ-ସାସ୍କୃତିକ ବାସ୍ତବତାକୁ ଆଲୋଚନା କରିଥାନ୍ତି । ତୃତୀୟଲିଙ୍ଗ ସଂପ୍ରଦାୟ ଭେଗୁଥିବା ଅଲଗାକରି ରଖିବାର ରାଜନୀତିର ମୂଳରେ ରହିଛି ଦୁଇଟି ଲିଙ୍ଗ ରହିଥିବାର ବଦ୍ଧମୂଳ ଧାରଣା । ପ୍ରଥମ ଚିଠା ବିଲ୍ରେ ତୃତୀୟଲିଙ୍ଗର ସଂଜ୍ଞାକୁ ନେଇ ତୃତୀୟଲିଙ୍ଗ ସଂପ୍ରଦାୟ ପାଇଁ ଏକ ମୂଳ ସମସ୍ୟା ଥିଲା । ଏଥିରେ କୁହାଯାଇଥିଲା, ତୃତୀୟଲିଙ୍ଗର ବ୍ୟକ୍ତି ହେଉଛନ୍ତି - ଯିଏ ନର ନୁହେଁ କି ନାରୀ ନୁହେଁ । ଏଭଳି ଏକ ସଂଜ୍ଞା କେବଳ ଅପମାନସୂଚକ ନୁହେଁ, ତୃତୀୟଲିଙ୍ଗର ବ୍ୟକ୍ତିଙ୍କୁ କୌଣସି ଗ୍ରହଣୀୟ ଓ ସ୍ଥାୟୀ ଲିଙ୍ଗର ନୁହେଁ କହି ନାକାରାତ୍ମକ ଭାବେ ଦେଖିବା, ଏହା ଦୁଇଟି ଲିଙ୍ଗ ବାହାରେ ଚିନ୍ତା କରିବାର ଅସାମର୍ଥତାକୁ ଦେଖାଉଛି । ଯାହାହେଉ ଶେଷ ଚିଠାରେ ଏହାକୁ ସନ୍ତୋଷଜନକ ଭାବେ ସଂଶୋଧନ କରାଯାଇ ତୃତୀୟଲିଙ୍ଗର ବ୍ୟକ୍ତିଙ୍କର ସଂଜ୍ଞା ନିଧ୍ୟାରଣ କରି କୁହାଯାଇଛି ଯେ "ଜଣେ ବ୍ୟକ୍ତି ଯାହାଙ୍କର ଲିଙ୍ଗ ତାଙ୍କର ଜନ୍ମ ସମୟରେ ନିଧ୍ୟାରଣ କରାଯାଇଥିବା ଲିଙ୍ଗ ସହ ମେଳ ଖାଉ ନାହିଁ" ।
ଏଭଳି ଅନେକ ଆଇନ ପୂର୍ବରୁ ରହିଛି, ଯାହାକୁ ସ୍ୱଚ୍ଛାଚାରୀ ଭାବେ ତୃତୀୟଲିଙ୍ଗର ବ୍ୟକ୍ତିମାନଙ୍କୁ ଦଣ୍ଡିତ କରିବା ପାଇଁ ବ୍ୟବହାର କରାଯାଉଠଛି । ଭିକ୍ଷାବୃତ୍ତି ବିରୋଧୀ ଆଇନ ଏଥିମଧ୍ୟରୁ ଗୋଟିଏ । ତୃତୀୟଲିଙ୍ଗର ବ୍ୟକ୍ତିମାନଙ୍କର ଆର୍ଥୀକ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସ୍ଥାନ ସଂରକ୍ଷଣ, ଏହାକୁ ରୋକିବା ପାଇଁ ଅନ୍ୟତମ ବାଟ ହୋଇପାରେ । 'ଅପ୍ରାକୃତିକ ଯୌନକ୍ରିୟା'କୁ ରୋକିବା ପାଇଁ ଭାରତୀୟ ପିଙ୍ଗଳ କୋଡର ୩୭୭ ଧାରାକୁ ମଧ୍ୟ ରିତିମତ ତୃତୀୟଲିଙ୍ଗର ବ୍ୟକ୍ତିମାନଙ୍କ ବିରୁଦ୍ଧରେ ବ୍ୟବହାର କରାଯାଉଛି । ଯେ ପଯ୍ୟନ୍ତ ଧାରା ୩୭୭ ଏକ ଫୌଜଧାରୀ ଅପରାଧ ହୋଇ ରହିଥିବ, ତୃତୀୟଲିଙ୍ଗ ସଂପ୍ରଦାୟର ଗିରଫ ହେବାର ଭୟ ଲାଗି ରହିଥିବ । ଫଳତଃ ଏକ ବିଶେଷ ଆଇନଗତ ବ୍ୟବସ୍ଥାର ଆବଶ୍ୟକତା ରହିଛି, ଯାହାକି ସେମାନଙ୍କ ଯୌନ ଅଧିକାର ଓ ପରିଚୟକୁ ସୁରକ୍ଷା ଦେଇ ପାରିବ । ସେଥିପାଇଁ ବିବାହ ଓ ଜୀବନସାଥୀ ବାଛିବାର ଅଧିକାରକୁ ଆଇନଗତ ମାନ୍ୟତାକୁ ବିଲ୍ରେ ସ୍ଥାନ ଦେବାର ଦ୍ୱିତୀୟ ପ୍ରସ୍ତାବ ଅତି ଗୁରୁତ୍ୱପୂର୍ଣ୍ଣ । ନିଦ୍ଧିଷ୍ଟ ଭାବେ ତୃତୀୟଲିଙ୍ଗର ବ୍ୟକ୍ତିମାନଙ୍କ ପ୍ରତି ପକ୍ଷପାତିତାର ବାଖ୍ୟା ନ କରି ପାରିବା ବିଲ୍ର ଅନ୍ୟ ଏକ ବିଫଳତା । ସେଥିପାଇଁ ଯଦିଓ ଏହି ବିଲ୍କୁ ପ୍ରଗତିଶୀଳ ଭାବେ ବିଚାର କରାଯାଉଛି, ତୃତୀୟଲିଙ୍ଗର ବ୍ୟକ୍ତିମାନଙ୍କୁ ଯୌନ ନାଗରିକତା ପ୍ରଦାନର ମୁଖ୍ୟ ପ୍ରଶ୍ନକୁ ସମାଧାନ କରିବାରେ ଏହି ବିଲ୍ ବିଫଳ ହୋଇଛି ।
ଏହା ପ୍ରସ୍ତାବ ଦିଆ ହୋଇଆସୁଛି ଯେ ଭାରତରେ ତୃତୀୟଲିଙ୍ଗ ସଂପ୍ରଦାୟର ଅଧିକାରର ସୁରକ୍ଷା ପାଇଁ କୌଣସି କେନ୍ଦ୍ରିୟ ଆଇନ, ତାମିଲନାଡୁକୁ ଉଦାହରଣ ଭାବେ ନେବା ଆବଶ୍ୟକ । ୨୦୦୪ରେ ତାମିଲନାଡୁ ବିଶେଷ କରି ତୃତୀୟଲିଙ୍ଗର ବ୍ୟକ୍ତିମାନଙ୍କ ପାଇଁ ଏକ କଲ୍ୟାଣ ବୋଡ ପ୍ରତିଷ୍ଠା କରିଛି । ରାଜ୍ୟ ରିହାତି ଘର, ନିଯୁକ୍ତି ଭିତ୍ତିକ ତାଲିମ୍ ଭଳି ମୌଳିକ ସ୍ୱକୃତିମୂଳକ ପଦକ୍ଷେପ ନେଇଛନ୍ତି । ଏହା ସହ ନିଦ୍ଧିଷ୍ଟ ସରକାରୀ ଡାକ୍ତରଖାନାରେ ବିନା ମୂଲ୍ୟରେ ଯୌନ ସୁଧାର ଅସ୍ତ୍ରପ୍ରଚାର ସୁବିଧା ମଧ୍ୟ ଦିଆଯାଉଛି । ୨୦୦୮ ଅଗଷ୍ଟରେ ଭାରତର ଦ୍ୱିତୀୟ ରାଜ୍ୟ ଭାବେ କେରଳ ତୃତୀୟଲିଙ୍ଗର ବ୍ୟକ୍ତିମାନଙ୍କୁ ଯୌନ ସୁଧାର ଅସ୍ତ୍ରପଚାର ପାଇଁ ୨ଲକ୍ଷ ଟଙ୍କା ଲେଖାଁଏ ଦେଲା । ଯଥେଷ୍ଟ ସ୍ୱାସ୍ଥ୍ୟ ସେବା ଏବଂ ସଂଦେହଜନକ ସ୍ୱାସ୍ଥ୍ୟ କର୍ମୀମାନଙ୍କ ନିଯ୍ୟାତନା ଓ ଶୋଷଣରୁ ସେମାନଙ୍କୁ ରକ୍ଷା କରିବା ପାଇଁ ଭାରତର ତୃତୀୟଲିଙ୍ଗ ସଂପ୍ରଦାୟ ଏହି ଭଳି ସମର୍ଥନ ତୁରନ୍ତ ସରକାରଙ୍କ ଠାରୁ ଆବଶ୍ୟକ କରନ୍ତି ।
ସାମଗ୍ରିକ ଭାବେ, ବିଲ୍ଟି ଏଭଳି ହେବା ଆବଶ୍ୟକ ଯେ ଯେପରି ଦୈନଦିନ ସାମାଜିକ ଜୀବନରେ ତୃତୀୟଲିଙ୍ଗର ବ୍ୟକ୍ତିମାନେ ସ୍ୱଚ୍ଛନ୍ଦରେ ମିଶିପାରିବେ । ଘରେ, କାର୍ଯ୍ୟକ୍ଷେତ୍ରରେ ଓ ସାମାଜିକ ସ୍ଥାନରେ ତୃତୀୟଲିଙ୍ଗର ବ୍ୟକ୍ତିମାନଙ୍କର ଉପସ୍ଥିତିକୁ ସ୍ୱଭାବିକ କରିବା ପ୍ରକ୍ରିୟାରେ ଆଇନଗତ ପଦକ୍ଷେପ ସହାୟକ ହେବା ଉଚିତ୍ ।